ଛବି କଥା କହେ - ବାଙ୍କାବିହାରୀ ମହାକୁର




ଅସମୟେ ତୁଇ ପିତାମାତା ନେଇ

କାହିଁକି ହେଲୁ ନିଃର୍ଦ୍ଦୟ

କେମିତି ବଞ୍ଚିବି କେଉଁଠିକୁ ଯିବି

ମନରେ ଉଠେ ସଂଶୟ  ।


ସପନକୁ ମୋର କରି ଚୁରମାର

କି ଲାଭ ପାଇଲୁ କହ

ସାଙ୍ଗସାଥୀ ମେଳେ ଖେଲିବାର ବେଳେ

ମୁଣ୍ଡାଇଲି ଭାଇ ବୋଝ ।


ବନ୍ଧୁ ସହୋଦର କେ ନୁହେଁ କାହାର

ଦୁଃଖେ ନ ଦିଅନ୍ତି ଦେଖା

ପାସେ  ଥିଲେ ଧନ  ଜିଣିଥାନ୍ତି  ମନ

ଭରି ରହିଥାନ୍ତେ ସଖା  ।


ନେତ୍ର ଅଶ୍ରୁ ଛୁଇଁ ସପଥ କରୁଛି

ବଞ୍ଚିବି ମୁଣ୍ଡ ଉଠାଇ

କାଳିମା ଅନ୍ଧାର ହେବି ନିଶ୍ଚେ ପାର

ସବୁ ଦୁଃଖ ଭୁଲି ଯାଇ ।


ଦୟା ପାତ୍ର କାହା ନ କରୁ କେ ଆହା

ଚାଲିବି ସଂସାର ପଥେ

ଅନ୍ୟ କାମ କରି ଶ୍ରମକୁ ଆଦରି

ଭାଇକୁ ଗଢିବି ହାତେ ।


ବଞ୍ଚିବି ବଞ୍ଚାଇ ହସିବି ହସାଇ

କଷଣକୁ ଆଶ୍ରା କରି

ଶୈଶବକୁ ମୋର ଦେଇ ଉପହାର

ଭାଇ ସ୍ବପ୍ନ ଦେବି ଭରି ।


ସରଗରୁ ଥାଇ ପିତାମାତା ଦୁଇ

କର ମୋତେ ଆଶୀର୍ବାଦ

ବିଚିତ୍ର ପାଉଣା କରିବି ଆପଣା

ମନୁ ଭୁଲି ସବୁ ଖେଦ ।


           ବାଙ୍କାବିହାରୀ ମହାକୁର

ବୁରୁବୁଡା  ବୀରମହାରାଜପୁର  ସୁବର୍ଣ୍ଣପୁର

           ମୋ:୮୯୧୭୬୪୦୫୮୧

Post a Comment

0 Comments